ଦେବଗଡ,୧୪/୦୫: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦେବଗଡ ଓଡିଶା ସରକାରଙ୍କ ପକ୍ଷରୁ ବୁଧବାର ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ବିଭିନ୍ନ ଚାଷୀ ମାନଙ୍କୁ ଯାନ୍ତ୍ରିକ କୃଷି ଉପକରଣ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଚାଷୀ ମାନଙ୍କୁ କୃଷି ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ଓଡିଶାର କୃଷି ଶିଳ୍ପ ନିଗମ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତିଲେଇବଣି ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ତିଲେଇବଣି ବ୍ଲକର ପାଞ୍ଚଟି ପଞ୍ଚାୟତ ବଡ଼ଛାପଲ, କଲଣ୍ଡା, ଢୋଲପଡା, ଦୁଧିଆନାଳୀ, ଝରାଗୁଗୁଆ ଓ ୨୮ ଟି ଗ୍ରାମର ୪୫ ଜଣ ଜନଜାତି ଲୋକଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଛି । ନିଜସ୍ୱ ଜମିରେ ପୋଖରୀ ଖନନ ନିମନ୍ତେ ସ୍ଥାନୀୟ ଚାଷୀ ମାନଙ୍କୁ ସମନ୍ୱିତ ଚାଷ ପଦ୍ଧତି ଆପଣାଇ ନିଜର ଆୟ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ୩ଟି ଘାସ ଉପୁଡା ଯନ୍ତ୍ର, ଗୋଟିଏ ଧାନକଳ, ୨୨ ଟି ସ୍ପ୍ରେ ମେସିନ, ଗୋଟିଏ ତେଲ ଘଣା ମେସିନ, ଗୋଟିଏ ଓଜନ ଯନ୍ତ୍ର ଓ ଗୋଟିଏ ପ୍ୟାକେଟିଂ ମେସିନ ସର୍ବମୋଟ ୪୫ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରକଳ୍ପ ପରିଚାଳିକା ଆଇଟିଡିଏ ସନ୍ଧ୍ୟା ମାଝୀ, ଜିଲ୍ଲା ପରିଚାଳକ ଓଡିଶା କୃଷି ଶିଳ୍ପ ନିଗମ ଦେବଗଡ ଈଂ ଦିବ୍ୟ ଲୋଚନ ସାହୁ ଯୋଗ ଦେଇଥିଲେ ।